Unknown

 

 

 

 

 

 

 

 

 

ବବୃବାହନ

କୃଷ୍ଣପ୍ରସାଦ ବସୁ

 

ଗ୍ରନ୍ଥକାରଙ୍କ ନିବେଦନ:

 

 

ପୁରାଣ ଚରିତମାନଙ୍କରେ ଧର୍ମୋପଦେଶ ତଥା ଲୌକିକ ଆଚାର ବ୍ୟବହାର ଦୁଇ କଥା ହିଁ ବର୍ଣ୍ଣିତ ଥାଏ । ଅନେକ ବିସ୍ମିତ ହୋଇ କହନ୍ତି- ଏ କିପରି କଥା ? ସ୍ଥଳେ ସ୍ଥଳେ ଅଧର୍ମର ଉପଦେଶ ଅଛି ମଧ୍ୟ! ଏ ପ୍ରକାର ଅନ୍ୟାୟ ପ୍ରଚାରିତ ହେବା ଧର୍ମୋପଦେଶ ପୁରାଣାଦିର ଲକ୍ଷ୍ୟ ବସ୍ତୁ ହେଲେ ମଧ୍ୟ ଜାଗତିକ ଆଚାର ବ୍ୟବହାରରେ ସାଧାରଣ ମାନବଙ୍କର କେଉଁ ସ୍ଥଳରେ କି ତ୍ରୁଟି ପ୍ରମାଦ ହୁଏ ଏବଂ ଅଧର୍ମର ଆକର୍ଷଣୀ କ୍ଷମତା କେତେ ଏହା ମଧ୍ୟ ତହିଁରେ ଦେଖାଇ ଦିଆ ହୋଇଥାଏ ।

 

 

 

ମନୁଷ୍ୟର ମାନବିକତା ଅର୍ଜନ ପଥରେ କେତେ ପ୍ରକାରର ବାଧା ବିପତ୍ତି ବିଚଳିତ କରାଇ ବିପଥକୁ ଟାଣିନିଏ, ବିଚାର ସଙ୍କଟ ବିଭ୍ରମର ନାନା ସମସ୍ୟାର ନାନା କଥା ଓ ଏହି ସଙ୍ଗେ ତହିଁରୁ ରକ୍ଷା କରିବା ଲାଗି ସଜ୍ଜନ ପଣ୍ଡିତ ଓ ମହାପୁରୁଷ ମାନଙ୍କର ପତନର କଥା ମଧ୍ୟ ଥାଏ-

 

 

 

କାହିଁକି ? ତହିଁର କାରଣ ଆଲୋକର ଜ୍ୟୋତିକୁ ସ୍ଵଚ୍ଛ ପ୍ରଖର ଭାବରେ ବୁଝାଇବା ଲାଗି ଅନ୍ଧକାରର ପୃଷ୍ଠଭୂମି ପ୍ରୟୋଜନ । ଯଥେଷ୍ଟ ଧୈର୍ଯ୍ୟ, ଯଥେଷ୍ଟ ଆତ୍ମସଞ୍ଜମ ଥିବା ଆବଶ୍ୟକ; ଅନ୍ୟାୟ ବିରୁଦ୍ଧରେ ସତତ ଜାଗ୍ରତ ରହିବାର ଭାବକୁ ଦୃଢ଼ତର କରାଇବା ଲାଗି- ଏମନ୍ତ ବର୍ଣ୍ଣନାର କୌଶଳ ବା ଶୈଳୀଛଟା ମାତ୍ର-

 

 

୧।

ଶ୍ରଦ୍ଧା, ଭକ୍ତି ଓ ଅସୀମ କବିତ୍ଵ ଶକ୍ତି ଉଭୟଙ୍କର ସମ୍ମିଶ୍ରଣରେ ପୁରାଣର ରଚନା ପାଠ କଲେ ଶ୍ରଦ୍ଧା ବିସ୍ମୟରେ ମଥା ଅବନତ ହେବାକୁ ବାଧ୍ୟ- ଏ ରୀତିଦ୍ଵାରା ନିରୋଳ ଧର୍ମଭାବ ବଦ୍ଧମୂଳ ହୁଏ ଏବଂ ଦୂଷିତ ରୀତିମାନଙ୍କରୁ ଦୂରରେ ରଖିବାର ପ୍ରେରଣା – ସର୍ବସ୍ଥଳେ ସର୍ବକ୍ଷେତ୍ରରେ ବିକଶିତ ହୁଏ ।

 

 

୨।

କାର୍ଯ୍ୟ, କାରଣ ଓ ପରିଣାମ, ତହିଁର ଅନ୍ତର୍ନିହିତ ସୂକ୍ଷ୍ମ ଉଦ୍ଦେଶ୍ୟ ଏବଂ ସେମାନେ ଯୁକ୍ତିସିଦ୍ଧ ବିଚାରସିଦ୍ଧ ବିଜ୍ଞାନସମ୍ମତ ହୋଇଛି କି ନା ଦେଖାଇ ତହିଁର ଦୃଷ୍ଟିକୋଣ ବର୍ଣ୍ଣନାମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଭାବ-ବିଶ୍ଳେଷଣ ଓ ଚରିତ୍ର ବିଶ୍ଳେଷଣ ଦ୍ଵାରା ରୂପାୟିତ ନ କଲାଯାଏଁ କୌଣସି ଘଟଣାକୁ ଜୀବନ୍ତ ପ୍ରତିମା ରୂପେ ଗଠନ କରାଯାଇ ନ ପାରେ- ଏ ଅଂଶଟି ପରିପୂର୍ଣ୍ଣ ମନୋବିଜ୍ଞାନ ଓ ଦର୍ଶନର ବ୍ୟାପାର-

 

 

 

ଅଳଙ୍କାର ପଦଲାଳିତ୍ୟ ଅନୁପ୍ରାସ ତାନ ମୂର୍ଚ୍ଛନା ସ୍ଵର ବିନ୍ୟାସ ଆଦି ଅପର ସୌଷ୍ଠବ ପ୍ରତିମା ଗଠନର ପରବର୍ତ୍ତୀ ଉପାଦାନ । ଏହିଠାରେ ହିଁ ରହିଛି ଜନରଞ୍ଜନ ଓ ସଭା ରଞ୍ଜନର ପ୍ରଧାନ କୌଶଳ-

 

 

୩।

ଶୃଙ୍ଖଳା ଅକ୍ଷୁର୍ଣ୍ଣ ରଖି ଭାବ-ବିଶ୍ଳେଷଣ ଓ ଚରିତ୍ର ବିଶ୍ଳେଷଣ କରିବା ଏବଂ ତନ୍ମଧ୍ୟରେ ବାସ୍ତବ ସମ୍ଭାବ୍ୟ କେତେ, ଅବାସ୍ତବ କବି କଳ୍ପନା କେତେ, ତାହା ମଧ୍ୟ ପରିସ୍ପୁଟ କରି ଦେବା ଗାୟକଙ୍କର ଦାୟିତ୍ଵ- ବିଦ୍ୟା ଜ୍ଞାନ ଆଲୋଚନା ସାପେକ୍ଷ ।

 

 

 

ସେଥିଯୋଗୁଁ କହୁଁ ଗାୟକ ମାତ୍ରେ ସର୍ବଦା ବିବୁଧ ଗୋଷ୍ଠୀରୁ ତହିଁର ଖସଡ଼ା ତିଆରି କରାଇ ନିଜକୁ ଦୃଢ଼ତର ଭାବେ ପ୍ରସ୍ତୁତ ରଖିବେ । ସମୟ ଅତି ସୀମାବଦ୍ଧ । ମାତ୍ର ଚାରି ଘଣ୍ଟା- ଅତଏବ ଅବାନ୍ତର ପ୍ରସଙ୍ଗେ ପାଣ୍ଡିତ୍ୟ ଦେଖାଇ ବାହୁଲ୍ୟ ବର୍ଣ୍ଣନାରେ କାଳକ୍ଷୟ ନକରି ଅତି ସ୍ଵାଭାବିକ ସରଳ ଭାବେ ବ୍ୟକ୍ତ କରିବେ ଆଖ୍ୟାନ ।

 

 

 

ମୂଳ ବିଷୟବସ୍ତୁରେ ଏତେ ମୂଲ୍ୟବାନ ମନ-ରାଜ୍ୟର କଥାମାନ ଥାଏ, କେତେକ ବୁଝାଇ ଦେଖାଇ ପାରିଲେ ଅପର ପ୍ରସଙ୍ଗ ନିଷ୍ପ୍ରୟୋଜନ ।

 

 

୪।

ବର୍ଣ୍ଣିତ ଆଖ୍ୟାନଟି ବ୍ୟାସଦେବଙ୍କର ଅନୁପମ ପରିକଳ୍ପନା । କି ବାଲ୍ମିକୀ କି ବ୍ୟାସ ଉଭୟେ ନାରୀ ଚରିତ୍ର ଗଢିଛନ୍ତି- । ତାହା ହିଁ ଆର୍ଯ୍ୟ ଭାରତୀୟ ସନାତନ ସଭ୍ୟତାର ଆଦର୍ଶ । ପତି ନିଷ୍ଠାର ସ୍ଥାନ ସର୍ବତ୍ର ପ୍ରଥମ।

 

କେହି ହୋଇଛ ମୃଦୁ ସ୍ଵଭାବା-ତ୍ୟାଗ ଧୈର୍ଯ୍ୟ ସହନଶୀଳତା ସନ୍ତାନ- ବାତ୍ସଲ୍ୟ ଜୀବେଦୟା ସେବା ଧର୍ମର ପ୍ରତୀକ-। ସେ ଆଖିକି ସହସ୍ର ଅପରାଧି ସ୍ଵାମୀଙ୍କର କୌଣସି ତ୍ରୁଟି ଦିଶେ ନାହିଁ । ସେଠାରେ ନାହିଁ ଅଭିମାନ ଅହଙ୍କାର ଦର୍ପ ଏକାନ୍ତ ଅନାସକ୍ତ ସେ- ।

 

 

 

ଅନ୍ୟତ୍ର ଦେଖାଯାଏ ପରିପୂର୍ଣ୍ଣ ତେଜଃର ଆଧାର, ନୀଳବିରୁଦ୍ଧ ସତତ ଖଡ୍‌ଗ ଧାରିଣୀ- ତଥାପି ଧର୍ମ ଜଗତେ ପରିପୂର୍ଣ୍ଣ ପୁଣ୍ୟଶୀଳା- କର୍ତ୍ତବ୍ୟେ ଗାର୍ହସ୍ଥ୍ୟ ଧର୍ମ ସାମାଜିକ ବ୍ୟାବହାରିକ ରାଜନୀତିରେ କାହିଁ ମର ହୋଇ ନାହାନ୍ତି ଊଣା- ଯଥା ସୀତା ଓ ଦ୍ରୌପଦୀ ।

 

 

୫।

ଏଠାରେ ଅଛି ୩ଟି ପ୍ରଧାନ ଚରିତ୍ର- ପୁତ୍ର ଅଧୀରା ଗଙ୍ଗା, ନାଗରାଜକନ୍ୟା ଉଲୁପୀ, ଇଲାବନ୍ତ ମାତା ବଭ୍ରୁବାହନଙ୍କ ମାତା ଗନ୍ଧର୍ବ ରାଜ କନ୍ୟା ଚିତ୍ରାଙ୍ଗଦା-

 

 

 

ଆସାମ ଅନ୍ତର୍ଗତ ନାଗରାଜ୍ୟ(ବା ନାଗାଲ୍ୟାଣ୍ଡ) ଓ ତ୍ରିପୁରା ଡିଭିଜନ ଅନ୍ତର୍ଗତ ମଣିପୁର ଦୁଇଟି ପରସ୍ପର ନିକଟବର୍ତ୍ତୀ ସାମ୍ରାଜ୍ୟ ।

 

ମହା ବିଷ୍ଣୁ ପରାୟଣ ରାଜା ଅନନ୍ତ ଥିଲେ ନାଗରାଜ୍ୟର ସମ୍ରାଟ ଓ ଗନ୍ଧର୍ବରାଜ ଚିତ୍ରସେନ ମଣିପୁରର ଛତ୍ରପତି । କିନ୍ତୁ ଉଭୟ ରାଜା ହିଁ ପୁତ୍ରହୀନ; ପ୍ରତିସ୍ଥଳେ ଗୋଟିଏ ଲେଖାଏଁ କନ୍ୟା । ଅତଏବ ଭବିଷ୍ୟତକୁ ନାତିମାନେ ହିଁ ହେଲେ ରାଜା ।

 

 

୬।

ଦେବବ୍ରତ ଭୀଷ୍ମ ଗଙ୍ଗାଦେବୀଙ୍କ ପୁତ୍ର । ସେ କିପରି ଭାବରେ କୁରୁକ୍ଷେତ୍ର ଯୁଦ୍ଧରେ ପ୍ରାଣତ୍ୟାଗ କରିଥିଲେ ତାହା ମହାଭାରତର ଅଙ୍ଗୀଭୂତ, ତହିଁରେ ବାସ୍ତବରେ ଅର୍ଜ୍ଜୁନ କେତେ ପରିମାଣରେ ଦାୟୀ ତାହା ଗ୍ରନ୍ଥକାରଙ୍କ ‘ଦେବବ୍ରତ’ କାବ୍ୟରେ ଆଲୋଚିତ ହୋଇଛି ।

 

 

 

ଶ୍ରୀଖଣ୍ଡିଙ୍କୁ ସମ୍ମୁଖରେ ରଖାଇ ଅର୍ଜ୍ଜୁନ ଭୀଷ୍ମଙ୍କୁ ନିରସ୍ତ୍ର ଅବସ୍ଥାରେ ବଧ କରିଛନ୍ତି ବୋଲି ତଥାପି ଅର୍ଜ୍ଜୁନଙ୍କର ଅଛି ଗୋଟିଏ ଅପବାଦ ଓ ତାହା ପ୍ରାଚୀନ ବୀର ଧର୍ମ ଦ୍ଵାରା ଦୂଷିତ ବୋଲି ଅଦ୍ୟାପି ପରିଣତ ।

 

 

 

ଭୀଷ୍ମଦେବଙ୍କ ପ୍ରାୟ ବିଶ୍ଵବିଜୟୀ ପୁତ୍ରଙ୍କର ଏ ନିଧନ ଯୋଗୁଁ ଅର୍ଜ୍ଜୁନ ଯେ ମାତା ଜାହ୍ନବୀଙ୍କର କୋପାନଳରେ ପଡ଼ିବେ ଏହା ସ୍ଵଭାବିକ କଥା ।

 

ଏହି ଘଟଣାରେ ଶୋକାତୁରା ଗଙ୍ଗା ‘ପାପାଚାରୀ, ତୁ ଅନନ୍ତ କାଳ ନରକ-ଯନ୍ତ୍ରଣା ଭୋଗକର’ ବୋଲି ଗୋଟିଏ ଅଭିଶାପ ଦେଇଥିଲେ ।

 

 

୭।

କୁରୁକ୍ଷେତ୍ର ଯୁଦ୍ଧର ପୂର୍ବବର୍ତ୍ତୀ କାଳରେ ଅର୍ଜ୍ଜୁନ ଦଣ୍ଡୀ ବେଶରେ ଭାରତର ନାନା ଅଞ୍ଚଳ ଭ୍ରମିଥିଲେ । ସେହି ସମୟରେ ଚିତ୍ରାଙ୍ଗଦା ଓ ଉଲୁପୀ ଉଭୟେ ତାହାଙ୍କୁ ପତିପଦରେ ବରଣ କରିଥିଲେ । ଅତଏବ ଚିତ୍ରାଙ୍ଗଦା ଓ ଉଲୁପୀ ଦୁଇ ସପତ୍ନୀ ଇଲାବନ୍ତ ଉଲୁପୀଙ୍କର ଓ ବଭ୍ରୁବାହନ ଚିତ୍ରାଙ୍ଗଦାଙ୍କ ଗର୍ଭଜାତ । ଏମାନଙ୍କର ପରସ୍ପର ସମ୍ପର୍କ ଭାଇ ।

 

 

 

ମଣିକଥା--ବିଷ୍ଣୁପୂଜା ଫଳରେ ରାଜା ଅନନ୍ତ ମଣିଟିଏ ପାଇଥିଲେ । ତଦ୍ଦ୍ଵାରା ମାତ୍ର ଜଣେ କେହି ମଲାଲୋକ ବଞ୍ଚିପାରିବେ । ନାତି ଇଲାବନ୍ତ, କୁରୁକ୍ଷେତ୍ରରେ ପାଣ୍ଡବ ପକ୍ଷରୁ ଯୁଦ୍ଧ କରିବେ ବୋଲି ସେ ମଣିଟି ଅଜା ଅନନ୍ତ ଦେବ ନାତି ଇଲାବନ୍ତ ଗଳାରେ ବାନ୍ଧି ଦେଇଥିଲେ । ଇଲାବନ୍ତ ରହିଥିଲେ ଅକ୍ଷତ ।

 

 

 

ବର୍ତ୍ତମାନ ଏଠାରେ ସେହି ଇଲାବନ୍ତ ଅଛନ୍ତି ଅଶ୍ଵମେଧ ଅଶ୍ଵର ରକ୍ଷକ- ବଭ୍ରୁବାହନ ଲକ୍ଷଶର ଛାଟିଲେ ମଧ୍ୟ ଇଲାବନ୍ତଙ୍କର କିଛି ହେଉନି…

 

 

 

ପୁତ୍ର ବଭ୍ରୁବାହନ ହସ୍ତେ ନ ମଲାଯାଏଁ ନରକ ଅଭିଶାପରୁ ପରିତ୍ରାଣ ନାହିଁ-

 

ପୁଣି ଇଲାବନ୍ତଙ୍କ ପତନ ନୋହିଲା ଯାଏ ଅର୍ଜ୍ଜୁନ ଯୁଦ୍ଧକୁ ଆସିବା ଅସମ୍ଭବ-

 

 

 

ଏହିଠାରେ ହିଁ ଉଲୁପିଙ୍କର ବାସ୍ତବ ମହିମା--। ସ୍ଵାମୀଙ୍କର କୀର୍ତ୍ତିଯଶ ଓ ପୁଣ୍ୟଫଳକୁ ଅକ୍ଷୁର୍ଣ୍ଣ ରଖାଇବା ଲାଗି କରୁଛନ୍ତି ନିଜର ପ୍ରାଣର ପ୍ରାଣ ପୁତ୍ରକୁ ବଳିଦାନ-“ମୋ ସ୍ଵାମୀ ହେବେ ନରକ ଯାତ୍ରୀ” ତା’ ହୋଇ ପାରେନି-

 

 

 

କହିଲେ ନିଜର ପୁତ୍ର ଇଲାବନ୍ତଙ୍କୁ “ବାପ, ତମେ ତ ଐଶ୍ଵରିକ ଶକ୍ତି ଘେନି ଯୁଦ୍ଧ କରୁଛ, ଏଥିରେ ତୁମ୍ଭର ନିଜର ବୀରପଣ କି ଅଛି-! ଲୋକେ ତଥାପି କହୁଛନ୍ତି ବଭ୍ରୁବାହନ ଅଧିକ ବଳିଷ୍ଠ”-

 

 

 

କିଶୋର କୁମାର ମଣିଟିକୁ କାଢି ମା’ଙ୍କ ହାତକୁ ବଢାଇଦେଲେ । “ଦେଖ ଏଥର ଆମ ଦୁହିଁଙ୍କ ମଧ୍ୟେ କାହାର ଶକ୍ତି କେତେ ।”

 

 

 

ଫଳରେ ଏଥର ଇଲାବନ୍ତ ଗଡ଼ିପଡିଲେ, ପୁତ୍ର ଶୋକେ ଅଧୀର ଅର୍ଜ୍ଜୁନ ହେଲେ ସମ୍ମୁଖୀନ, ହେଲେ ପଦସ୍ତ ଓ ମୃତ ଦେବୀ ଜାହ୍ନବୀଙ୍କ ଅଭିଶାପ ଖଣ୍ଡିଲା- ଅର୍ଜ୍ଜୁନ ନରକ ଯନ୍ତ୍ରଣାରୁ ଉଦ୍ଧାର ପାଇଲେ-

 

 

 

ମଣିରେ ମାତ୍ର ବଞ୍ଚିବେ ଜଣେ- ଏକ ଦିଗେ ପୁତ୍ର ଇଲାବନ୍ତ, ଅନ୍ୟ ଦିଗେ ସ୍ଵାମୀ ଅର୍ଜ୍ଜୁନ-

 

 

 

ସତୀ କି ବିଚାରେ କାହାକୁ ତ୍ୟାଗ କରି କାହାକୁ ରଖିଲେ- ସମସ୍ତ ମହତ୍ତ୍ୱ ପରିସ୍ଫୁଟଭାବେ ଦେଖାଇ ଦେବାକୁ ହେବ । ଇଲାବନ୍ତ ଓ ବବୃବାହନଙ୍କ ଦୃଷ୍ଟିକୋଣ ଚରିତ୍ର ବିଶ୍ଳେଷଣେ ପ୍ରତ୍ୟେକ ମହତ୍ ।

 

 

 

ଯୁକ୍ତି ନ୍ୟାୟ ଉପରେ ଓ ମନର ଭାବମାନଙ୍କୁ ଚିତ୍ରିତ କରିବା ପ୍ରତି ଅଧିକ ମନଯୋଗୀ ହେଉନ୍ତୁ-, ଏହାହିଁ ସାରା ପୃଥିବୀର ଯାବତୀୟ ମନିଷୀ ମାନଙ୍କର ମତ । ଧନ୍ୟ, ଯଶସ୍ଵୀ କୃତକର୍ମା ହେଉନ୍ତୁ ।

 

 

 

ନିବେଦକ

ଗ୍ରନ୍ଥକାର

 

ପ୍ରଥମ ପର୍ବ

(ରାମ ଲୀଳା-ବୃତ୍ତେ)

 

ଜୈମିନୀ ଭାରତ ସୁଧା ସରିତ ଚରିତ

ଅକୈତବ ଅନୁକମ୍ପା କରନ୍ତୁ ପଣ୍ଡିତ

କୃଷ୍ଣାର୍ଜ୍ଜୁନ ଯେ, ନର ନାରାୟଣଙ୍କ ଆଖ୍ୟାନ ।୧।

 

ଦଣ୍ଡୀ ବେଶେ ଦେଶେ ଦେଶେ ଭ୍ରମୁଥିଲା କାଳେ

ନାଗ ରାଜଜେମା ଉଲୁପୀଙ୍କ ପ୍ରେମ ଭୋଳେ

ରହି ପାର୍ଥ ଯେ, ଲଭିଲେ କୁମର ଇଲାବନ୍ତ ।୨।

 

ଯୋଜନ ଗନ୍ଧା ଗନ୍ଧର୍ବୀ ସାକ୍ଷାତେ ଶାରଦା

ମଣିପୁର ଜେମା ଚିତ୍ରାଙ୍ଗଦା ବିଶାରଦା

ଆନବାଳା ସେ, ଫାଲ୍‌ଗୁନୀ କଣ୍ଠକୁ ଦେଲେ ମାଳା ସେ ।୩।

 

କୁତୁକିନୀ ବର ପଣେ ବରିଲେ ଅର୍ଜ୍ଜୁନ

ପ୍ରଣୟ ବଲ୍ଲରୀ ଅଙ୍ଗେ ଫୁଟିଲା ପ୍ରସୂନ

ବଭ୍ରୁବାହନ, ଦମ୍ପତି ହୃଦୟେ ହରି-ଚନ୍ଦନ ।୪।

 

ବିରହ ବିଧୁରା ବାଳା ପିତ୍ରାଳୟେ ଥାଇଁ

ଯେ ଯାହା କୁମର ଘେନି ଆକାଶପଥ ଚାହିଁ

ବଞ୍ଚିଥାଇଁ ଯେ, କ୍ଷଣକ ଯୁଗକୁ ମନସାଇ ସେ ।୫।

 

ଏହି କାଳେ କୁରୁକ୍ଷେତ୍ର ବିରୋଧ ଘଟନା

ପୁତ୍ର ପରିଜନ ମେଳେ ସଂଗ୍ରାମ ସର୍ଜନା

ଇଲାବନ୍ତ ଯେ ହସ୍ତିନାରେ ହେଲା ଉପଗତ ।୬।

 

ସେଦିନୁ ନାଗେନ୍ଦ୍ର ଜେମା ସପତୁଣୀ ଠାରେ

ବଭ୍ରୁବାହନକୁ ପାଳେ ବାତ୍ସଲ୍ୟ ଆଚାରେ

ମଣିପୁରେ ଯେ, ପୁଣ୍ୟବତୀ ଥାଇ ସମାଦରେ ।୭।

 

ଚିତ୍ରାଙ୍ଗଦା ସୁତ ବଭ୍ରୁବାହନ ଶୁଣଇ

ଏ ମହା ଆହବେ ତାଙ୍କୁ ନିମନ୍ତ୍ରଣ ନାହିଁ

ମନେ ଖେଦ ଯେ, ପିତା ହୋଇ କଲେ ଏ କି ଭେଦ ।୮।

 

ଚିତ୍ରାଙ୍ଗଦା ଉଲୁପୀଙ୍କ ସ୍ଵଭାବ ମଞ୍ଜୁଳ

ସପତୁଣୀ ଦୁହିଁଙ୍କର ପ୍ରୀତି ଅପ୍ରତୁଳ

ବଭ୍ରୁବାହନ, ବେନି ଜନଙ୍କର ନେତ୍ର ଅଞ୍ଜନ ।୯।

 

ଉଲୁପୀ ଜାହ୍ନବୀ ପ୍ରିୟା ନିତ୍ୟ ଉପାସିକା

ଚିତ୍ରାଙ୍ଗଦା ପତିବ୍ରତା ଶଙ୍କର ସେବିକା

ବେନିଙ୍କର ଯେ, ଦେବତା ବ୍ରାହ୍ମଣ ବ୍ରତାଚାର ।୧୦।

 

ଶିଖଣ୍ଡି ପଶ୍ଚାତେ ଥାଇଁ ଭୀଷ୍ମଙ୍କୁ ସଂହାରି-

ଥିବାରୁ ଜାହ୍ନବୀ ହୃଦ ହେଉଛି ବିଦାରି

ଶୋକେ ବ୍ୟାକୁଳ, ଅଶ୍ରୁଜଳ ଝରେ ଅନର୍ଗଳ ।୧୧।

 

ଦ୍ୱିତୀୟ ପର୍ବ (ଦେଶାକ୍ଷ)

ଦେବବ୍ରତ କୁମର ନିଧନ

 

ଶୁଣି ଜାହ୍ନବୀ ଅଧୀର ପ୍ରାଣ

ବୋଇଲେ ଆରେରେ ପାମର ତୋହର-

ପାପଭାର ହେଲା ପୂର୍ଣ୍ଣରେ – ଫାଲ୍‌ଗୁନି

ତୋର ବୁଡିଲା ପୁଣ୍ୟ ତରଣୀ

 

-୨-

ଜଳ ସ୍ଥଳ ଅନଳ ଅଶନି

ଚରାଚର ଭୂଧର ଅବନୀ

ଗ୍ରହ ମଣ୍ଡଳରେ ଲୁଚିଲେ କାତରେ

ନାହିଁ କେହି ପରିତ୍ରାଣି

ରେ ଫାଲ୍‌ଗୁନି, ପାଞ୍ଜି ପୋଛିଲା ବିଧାତା ଜାଣି

 

-୩-

ପୁତ୍ର ଶୋକେ ଜଳାଇଲୁ ମୋତେ

ତାହା ସରିକେ ଅଛି ଜଗତେ

ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡ ଭିତରେ

ବ୍ରହ୍ମାଚାରୀ ନାହିଁ କଦାଚିତେ ରେ

ଦୁର୍ମତି, ଶୂଳୀସମ୍ଭୁ କରୁଥିଲେ ସ୍ତୁତି

 

-୪-

ତ୍ରିଲୋକେଶ ମହେଶ ଭାର୍ଗବ

ସୁର ସବିତାଙ୍କୁ ଯା ଦୁର୍ଲ୍ଲଭ

ମୋର ସେ ଅଛିଦ୍ର କଳ୍ପ ଫଳ ଛିଦ୍ର-

କଲୁ ଅଦ୍ଭୂତ ଆଚାର, ରେ ପାମର

ଅଭିଶାପରେ ହୁଅ ଜର୍ଜର

 

-୫-

-ପୁତ୍ର ହସ୍ତେ ତୁ ନିହତ ହେବୁ

ପାତକ ପତାକା ଉଡ଼ାଇବୁ

ଯାବତ ଚନ୍ଦ୍ରାର୍କ ଅନନ୍ତ ନରକ-

ଜ୍ୱାଳାରେ ଜଳି ମରିବୁ, ରେ ପାତକୀ

ଜଗତରେ ହୋଇ ରହ ସାକ୍ଷୀ” ।

 

ତୃତୀୟ ପର୍ବ

(ଢୂଆ ପ୍ରାୟ କ୍ଷିପ୍ର ବର୍ଣ୍ଣନା)

 

ସତୀ ସୀମନ୍ତମଣି ଉଲୁପୀ ରାଣୀ

ଆଜନ୍ମ ପତିବ୍ରତା ବ୍ରତଚାରିଣୀ

 

ନିତ୍ୟ ପୂଜା ଜାହ୍ନବୀ ସେ ବ୍ରତ ଫଳେ

କୁମାର ଇଲାବନ୍ତ ଲଭିଛି କୋଳେ

 

ପାର୍ଥ ମନୋହାରିଣୀ ନାଗ ନନ୍ଦିନୀ

ଜାହ୍ନବୀ ବରେ ସବୁ ପାରନ୍ତି ଜାଣି

 

ଭୂତ ଭବିଷ୍ୟ ଚରାଚର ଖବର

ନଖ ଦର୍ପଣ ପରା ସବୁ ଗୋଚର

 

ଜାଣିଲେ ଆଚମ୍ବିତେ ଜାହ୍ନବୀ ରୋଷ,

ତୋଷ କରିବା ଲାଗି ଦୃଢ଼ ମାନସ

 

ବରଜି ବାସ ବେଶ ଭୂଷଣମାନ

ଦାତାମ୍ବୁ ପର୍ଣ୍ଣାଶନେ ତପ ବିଧାନ

 

ବରଦର ନୟନୁଁ ଲୋତକ ବାରି

ଶୀତଳ ଗଙ୍ଗାଜଲେ ଦେଲେ ଅଜାଡ଼ି

 

କେତେ ଦିନେ ତିନ୍ତିଲା ଜାହ୍ନବୀ ପ୍ରାଣ

ଜନନୀ ସହିବ କେ କନ୍ୟା କଷଣ

 

ପୁତ୍ର ଶୋକେ ଅଧୀରା ଧରି କୁମାରୀ

କାନ୍ଦି କହନ୍ତି ‘ମା’ ଲୋ ପ୍ରାଣ ସଙ୍ଖାଳି

 

ଅକାରଣେ କାହିଁକି ହେଉଛୁ ଦହି

ଯାହା କରିଛି ତାହା ଖଣ୍ଡିବ ନାହିଁ

 

ଆନ ବାସନା ଯାହା ଅଛି ଚିତ୍ତରେ

ଭିକ୍ଷା କଲେ ପାଇବୁ ନିଶ୍ଚେ ସତ୍ୱରେ

 

ପୁତ୍ରହନ୍ତାର ସ୍ମୃତି ଢାଳୁଛି ବିଷ

କହନା ତା ନାମ ମୁଁ ଚାହେଁ ବିନାଶ

 

ରେଣୁ ରେଣୁ ହୋଇବ ପାତକୀ ଅଙ୍ଗ

ଖେଳିବ ଆର୍ତ୍ତନାଦ ବାୟୁ ତରଙ୍ଗ

 

ଚିତାଗ୍ନି ଧୂମରେଖା ହୋଇବ ଧୂପ

କିଜାଣି ହେଲେ ହେବ ମୋ କ୍ରୋଧ ଲୋପ’

 

-ସାଧ୍ୱୀ ସୁନ୍ଦରୀ ବୋଲେ ‘ଗୋ’ ଶୂଭଙ୍କରୀ

ପାର୍ଥ ପ୍ରେୟସୀ ମୁହିଁ ତୁତ ଶଙ୍କରୀ

 

ସର୍ବଶିବାନୀ ତୁତ ନିର୍ମାୟା ଦେହୀ

ଯେତେ ଛଳିଲେ ତୋତେ ଛାଡିବି ନାହିଁ

 

ପତିତ ଜନ ପରି ତ୍ରାଣ କୁଶଳା

ପାତକୀ ଜନଙ୍କର ପାତକ ଦଳା

 

ପତି ବିନା କି ଗତି ଅଛି ସତୀର

ତ୍ରିଶୂଳେ ଟିକି ଟିକି କାଟ ମୋ ଶିର

 

ଜଳ ବିନା କି କାହିଁ ବଞ୍ଚିଛି ମୀନ

କି ପ୍ରୟୋଜନ ମୋର ହୀନ ଜୀବନ

 

ନର ଦେହଧରି କେ ଅଛି ଅମର

ନରକ ଅଭିଶାପ ଖଣ୍ଡନ କର

 

ଶଙ୍କର ଜେତା ମୋର ପ୍ରାଣ ବଲ୍ଲଭ

ଅଳପ ଛିଦ୍ରେ ତାଙ୍କ ବୁଡ଼ିବ ନାବ

 

କଳଙ୍କିତ ଜୀବନ କଳୁଷ ମସି

ମୋ ପ୍ରାଣ ବଲ୍ଲଭଙ୍କୁ ଯିବ ପରଶି

 

ଗୁରୁ ଗୌରବ ମୋର ହୀନ ହୋଇବ

ସହଧର୍ମିଣୀ ନାମ କିମ୍ପା ରହିବ

 

ତୋର ଦୁହିତା ବୋଲି ଅଛି ଯେ ଦମ୍ଭ

ବୋଲିବେ ସିନା ବୃଥା ତା’ ବିପ୍ରଲମ୍ଭ

 

ତ୍ରିତାପ ହରା ହର ରମା ସୁନ୍ଦରୀ

କିଞ୍ଚିତେ ପରିତ୍ରାଣ କଲେ ଶଙ୍କରୀ

 

ପୁତ୍ର ହସ୍ତେ ନିହତ ହେଲେ ପାଣ୍ଡବ

ନରକ ଅଭିଶାପ ତହିଁ ଖଣ୍ଡିବ

 

ବୋଲି କରୁଣାମୟୀ ହେଲେ ଅନ୍ତର

କୁଲାଳ ଚକ୍ର ପରା ଭ୍ରମେ ଘର୍ଘର ।

 

ଚତୁର୍ଥ ପର୍ବ (କନଡା)

 

II୧II

ଜ୍ଞାତି ବଧ ମହାପାତକ ପ୍ରମାଦ

ଖଣ୍ଡନ ବିଧି ଅଶ୍ୱମେଧ ।

ଚାଲେ ସଜ୍ଞବାଜି କୋଳାହଳ ରାଜି

ସିନ୍ଧୁ ପରା ଶୁଭେ ଶବଦ

ତ୍ରାସେ କମ୍ପିଲା

ଚରାଚର ବିଶ୍ୱ ଶଙ୍କିଲା

ବାସୁକୀ ପାତାଳେ ବାସବ ବିହ୍ୱଳେ

ଅସ୍ତାଚଳେ ଭାନୁ ଲୁଚିଲା ।

 

II୨II

ଅର୍ବୁଦ ବୀରଙ୍କ ପରାଭବ କଥା

ପାଶୋର ଯାଇନାହିଁ ମନୁ

ଶୁଖିନାହିଁ ସଜ କଜ୍ୱଳ ଲୋତକ

ଖଞ୍ଜନାକ୍ଷୀଙ୍କର ନୟନୁ

ଗଣ୍ଡ ମଣ୍ଡଳେ

ଲାଖିଛି ଏ ଯାଏଁ ସେ ଲେଖା

 

ଶଙ୍କିତ ଜଗତ ହେଲା ପଦାନତ

ଦେଖିଲା କ୍ଷଣି ସେ ପତାକା ।

 

II୩II

ସଙ୍ଗେ ଛନ୍ତି ପାର୍ଥ ଅଚ୍ୟୁତ ସାମର୍ଥ

ଇଲାବନ୍ତ ବୀର କେଶରୀ

ଯଦୁପତି କୁଳତିଳକ ସାତ୍ୟକୀ

ସେ ପୁଣି ଅଛନ୍ତି ପ୍ରହରୀ

ଭ୍ରମି ଭୁବନ

ନିର୍ଦ୍ୱନ୍ଦେ ପ୍ରବେଶ କାନନ

ମୃଗୟା ବିନୋଦୀ ବଭ୍ରୁବାହନ ସେ

ବାନ୍ଧିଲେ ବାଜି ସୁଲକ୍ଷଣ ।

 

II୪II

ପଢିଲେ ପତ୍ରିକା ଅଛି ତହିଁ ଲେଖା

ସଂଗ୍ରାମ କୁଶଳ ବୀର

ପାର ଯେବେ ଧର ନୋହେ ନତ ଶିର

ଛତ୍ରକୁ ହୁଅ ହସ୍ତିନାର

 

ଦେଖି କୁମର,

ଭାବିଲା ସୁଭାଗ୍ୟ ମୋହର

ଅନ୍ତର୍ଗତେ ଥିଲା ଅନଳ ସ୍ଫୁଲିଙ୍ଗ

ସଞ୍ଚରି ହେଲା ଦାବାନଳ ।

 

ପଞ୍ଚମ ପର୍ବ

 

II୧II

କ୍ରୋଧେ ଜର ଜର କ୍ଷତ୍ରିୟ କୁମର

ମିଳିଲା ଜନନୀ ଥାନେ

ଏତେ ଦିନେ ମୋର ପଡ଼ିଛି ହାବୋଡେ

ବୀର ପରି ବୀର ଜାଣେ

ଦିଅ ଚରଣ ରେଣୁ,

ବାଜୁ ବିଜୟ ଗୌରବ ବେଣୁ ।

 

II୨II

କେଶରୀ ଗହ୍ୱର ବିଦାରିବା ଆଶେ

ଆସିଛି ବାତୁଳ ଗଜ

ଜାଣେ ନାହିଁ ସଜ ପଲ୍ୱଳ ଆସ୍ୱାଦ

ଜଗାଏ କି ନବ ତେଜ

ଦେବି ଦମ୍ଭ ଛଡାଇ

ଦଳି ଦିମାକ ଗର୍ବ ବଡ଼ାଇ ।

 

II୩II

ଛଳ ଛଳ ନେତ୍ର ନାଗବଲ୍ଲି ପତ୍ର

ପରାଏ କମ୍ପିଲା ତନୁ

ଗୋଟି ଗୋଟି ଫୁଟି ଉଠିଲା ସେ କାଳ

ପ୍ରଣୟ ପ୍ରସଙ୍ଗ ମନୁଁ

ଆରେ ଅଭାଗ୍ୟ ସୁତ

ତୋର ପିଅର ପରା ସେ ପାର୍ଥ ।

 

II୪II

ଅବିହିତ ରୀତି ଦେଖିଛୁ କାହିଁକି

ପିୟର ସଙ୍ଗତେ ବାଦ

ସୁଖ ଦୁଃଖ ଯଶଃ ଅପଯଶ; ପାପ-

ପୁଣ୍ୟରେ ତୋର ସମ୍ବନ୍ଧ

ଘେନି ଯୋଗ୍ୟ ସମ୍ଭାର

ସମାଦରେ ଦିଅ ଉପଚାର

 

II୫II

ପୁତ୍ର ଯେବେ ମୁହିଁ କିଲାଗି ମୋହର

ନିମନ୍ତ୍ରଣ ହେଲା ନାହିଁ

 

ହିଡ଼ିମ୍ବା ରାକ୍ଷସୀ ପୁତ୍ର ଘଟତ୍‌କୋଚ

ଧନ୍ୟ ହେଲା ପ୍ରାଣ ଦେଇ

ଅଭିମନ୍ୟୁ ଯାଇଛି

ଇଲାବନ୍ତ ଏଯାଏ ରହିଛି

 

II୬II

ପାଞ୍ଚାଳୀ ଉଲୁପୀ ସୁଭଦ୍ରା ଠାରୁକି

ମୋ ଜନନୀ ହେଲ ହୀନ

ନାହିଁ ତାହାଙ୍କର ପିତୃପଣ ଯେବେ

ନାହିଁ ମୋର ପୁତ୍ର ପଣ

ମଣ୍ଡି ରାଜ ଆସନ

ରାଜ ପଣେ କରିଛି ଧାରଣ

 

II୭II

ସୁରାସୁର ନର କିନ୍ନର ଲୋକରେ

ଅଜୟ ନାମ ବିଜୟ

ପଶୁପତି ଶତକ୍ରତୁ ପରାଭବ

ନାହିଁକି ଅନ୍ତରେ ଭୟ

 

ଭୀଷ୍ମ ଦ୍ରୋଣ ସଂହାରୀ

ବିଶ୍ୱେ ଅଛି କି କେ ତାଙ୍କ ସରି

 

II୮II

ଯା’ ହେବାର ହେବ ଗଲେ ଯିବ ଜୀବ

କ୍ଷତ୍ରିୟ ଶୋଣିତ ବହି

ପରାଣ ବିକଳେ ଲୁଚିବି ଅଞ୍ଚଳେ

ଶରଣ ପଶିବି ଯାଇଁ

ଜୀବ ଥାଉଁ ନୋହିବ,

ବାମ ହେଲେ ହୋଇବ ଦଇବ

 

II୯II

ଭୀଷ୍ମ ବୃଦ୍ଧ ଦ୍ରୋଣ ଜାତିରେ ବ୍ରାହ୍ମଣ

ପଶୁପତି ଅତି ଦୀନ

ବାସବ ପାତକୀ କର୍ଣ୍ଣ ଦୟାବନ୍ତ

କବଚ କିରୀଟ ହୀନ

ବୀରପଣେ ଭାଜନ,

କେହି ନୁହନ୍ତି ମା’ ଏହିମାନ

 

II୧୦II

କେହି ଶିଶୁ କେହି ପଶୁ କେହି ବୃଦ୍ଧ

ଜୀବନ୍ମୁକ୍ତ ଥିଲେ କେହି

ଫୁଙ୍କି ଦେଲେ ଉଡ଼ି ଯିବାର ଯେ ଜନ

କୁଳିଶ ଲାଗିଲା ତହିଁ

ଅନୁଚିତ ବଚନ

ମାତା କର ନାହିଁ ନିବାରଣ

 

II୧୧II

-ପିତା ସଙ୍ଗେ ରଣ ଦୃଷ୍ଟି ଶ୍ରୁତି କଟୁ

ତୋର ଏ ଅଝଟ ଥାଉ

ମୁହିଁ ସିନା ତୋର ପଥକୁ କଣ୍ଟକ

ମୋର ଏ ଜୀବନ ଯାଉ

ହେବି ଆତ୍ମଘାତିନୀ

କହି ଧଇଲେ ମାତା ବାୟାଣୀ

 

ଷଷ୍ଠ ପର୍ବ (ଚୋଖୀ)

 

II୧II

ଜନନୀ ଦାରୁଣ ପଣ ମରଣକୁ ଅଭିଯାନ

ଜାଣି ବଭ୍ରୁବାହନ ପରାଣ ଟଳିଲା

ଘେନି ରଥ ଗଜ ବାଜି ବିବିଧ ସମ୍ଭାରେ ସାଜି

ସମ୍ଭାଷଣ କରିବାକୁ ମନ ବଳିଲା

ଶୁଭ ଲଗ୍ନେ ବିଜେ ହୋଇଲା

ଯହିଁ ନର ନାରୟଣ ତହିଁ ମିଳିଲା

 

II୨II

ବନ୍ଦି ଜନକ ପୟର, କିଶୋର ନବ କୁମର

କୃତ କୃତ୍ୟ ହୋଇ ପାଦେ ଶରଣ ନେଲା

ବୋଇଲା ଭୋ ତାତ ମୋର ଅପରାଧ କ୍ଷମା କର

ନ ଜାଣିବାରୁ ବାରତା ବୁଦ୍ଧି ହୁଡ଼ିଲା

ଯଜ୍ଞ ବାଜି କଲି ବନ୍ଧନ

ଜାଣି ପରିଚୟ ପାଦେ ନେଲି ଶରଣ

 

II୩II

ତୁମ୍ଭେ ନୁହଁ ଏକା, ତୁମ୍ଭ ଠାରୁ ବଳିଛନ୍ତି ଦେଖା

ଦକା ତ୍ୟଜି ଶେଷେ ଲଭିଛନ୍ତି ଆଦର

ତୁମ୍ଭ ପରା ଏତେ ହୀନ ହୋଇନାହିଁ କେହିଁ ଆନ

ପର ପିତା ଦେଖି କହି ନାହିଁ ପିଅର

କହ ତୁମ୍ଭେ କାହା କୁମର

ଶାମନ୍ତ ପରଜା ପଣେ କଲି ସ୍ୱୀକାର

II୪II

ଶୁଣି ଏ ବକ୍ର ଭାଷଣ, କାତର ଦୁଇ ନୟନ

ସ୍ୱଭାବେ ରାଜନ ପୁଣି ରାଜ ନନ୍ଦନ

କରିଥିଲେ ମନେ ଆଶା, ଖଣ୍ଡିବ ପରା ଦୁର୍ଦ୍ଦଶା

ହେଲେ ହେବ ଜନନୀର ଖେଦ ଖଣ୍ଡନ

ପୁତ୍ର ପଣେ ନାହିଁ ଆସନ

ରାଜା ହୋଇ ପ୍ରଜାପଣେ ଅତି ଦାରୁଣ

II୫II

ମିଥ୍ୟା କହିନାହିଁ ତାତ କି ଲାଗି କର କପଟ

କହିଛନ୍ତି ମାତା ତୁମ୍ଭେ ମୋର ପିଅର

 

ଚିତ୍ରସେନଙ୍କ ଦୁହିତା ଚିତ୍ରାଙ୍ଗଦା ଚାରୁଲତା

ମଣିପୁର ରାଜଜେମା ଜନନୀ ମୋର

ତୁମ୍ଭେ ସେହି କଳ୍ପ ପାଦପ

ଯୁଗଳ ସମ୍ଭୋଗ ଫଳ ମୁହିଁ ଅଳପ

II୬II

ତଳପ ତ୍ୟଜି ତରାଟି ଚାହିଁଲେ କ୍ରୋଧେ କିରୀଟି

ଆରେ ରେ ଅର୍ଭକ ତୋର ଏକି ଆଚାର

ଅର୍ଜ୍ଜୁନ ନାମରେ ଶତ କେତେଛନ୍ତି ଏ ଜଗତ

ହୋଇଥିବେ ଆନ କେହି ପିଅର ତୋର

ଦୂର ହୁଅ ନଟୀ ନନ୍ଦନ

ଜାରଜକୁ ସମ୍ଭାଷଣ ନୋହେ ବିଧାନ

II୭II

କଣ୍ଠାଗ୍ରତେ ଥିବା ପ୍ରାଣେ ପୁତ୍ର ମୋର ବୀର ପଣେ

ଘେନି ଥିଲେ ବାଜି ଆସନ୍ତିକି ଫେରାଇ

ପରାଣ ବିକଲେ ପଶି, ଜନକ ନାମେ ସମ୍ଭାଷି

ଜନନୀ ମୁଖେ କାଳିମା ଦେଲୁ ଲେପାଇ

ଆରେ ରେ ଗନ୍ଧର୍ବୀ କୁମର

ଶିଖାଇଛି ମାତା ପାରା ଧୂର୍ତ୍ତ ଆଚାର

 

ସପ୍ତମ ପର୍ବ

(ଗଞ୍ଜାମୀ ଗୋସୁଆଣୀ ଛନ୍ଦ ଆଡ଼ ତାଳି)

 

II୧II

ଅଶନି ପଡ଼ିଲା ଶିରେ

ଥର ଥର ତନୁ ଥରେ

ଆରକ୍ତ ଗଣ୍ଡ ମଣ୍ଡଳ ଛଳ ଛଳ

କମ୍ପି…ବୋଇଲା ‘ଶୁଣ ପିୟର’

ହେ ବୀର…ଅବଶ୍ୟ ଦେବି ଉତ୍ତର

 

II୨II

ଜନମ କରିଛି ମୋତେ

ଜାରଜ ବୋଲି ସାକ୍ଷାତେ

ଜାଣନ୍ତୁ ଜଗତେ, ସତ୍ୟ ଅପ୍ରଳାପେ

କାଳା-ନଳ କେମନ୍ତ ପ୍ରଜ୍ୱଳେ

ସପ୍ତ-ସିନ୍ଧୁ ଶୁଖେ କି ବିକଳେ

 

II୩II

ଟିକିଏ ବୋଲି ବିବେକ

ନକରି ସେବକ ବେକ

ଟାକି ଅଛ ଯେବେ ଟିପି ଦେବା ପାଇଁ

ଦେବି…ଟାହୁଳି ପଣ ଛଡାଇ

ବୀର…ଟମକ ଦେବି ଉଡ଼ାଇ

 

II୪II

ଶିଖଣ୍ଡି ପଶ୍ଚାତେ ଥାଇଁ

ଶର ମାରିବା ବଡ଼ାଇ

ଶୂର ହୋଇ ବୀର କବଚ କିରୀଟ

ଆଣି…ଜିଣିବାର ଏ ଦିମାକ

ବୀର…ଅଳପେ ହେବ ପରଖ

 

II୫II

ଚକିତେ ଚପଳା ପରା

ଚମକି ଉଠିଲା ଧରା

ଚାମୁଣ୍ଡା ରୂପିଣୀ ତପସ୍ଵିନୀ ଜଣେ

 

ବୋଲେ…ଆସରେ ଆସ ନନ୍ଦନ

ବାବୁ…ଦେବି ମୁଁ ଆସ ସନ୍ଧାନ

 

II୬II

କିଏ କିଏ ଏ ଭୈରବୀ

ଶତ ଲଞ୍ଜା ନିନ୍ଦି ଛବି

କେ ବୋଲେ ଏ ପରା ନାଗରାଜ ଜେମା

ନିତ୍ୟ…ସଂଗ୍ରାମେ କୁଶଳା ବାମା

ପରା…କୁରୁ କୁଳ ବଧୂ ରମା

 

II୭II

ଉଲୁପୀ କି, ଉଲୁପୀ କି

ଇଲାବନ୍ତ ଜନନୀ କି

ସହି ନପାରିଲା ଇଷତ ସଙ୍କେତ

କଲ…ପ୍ରଳୟ ଝଞ୍ଜା ଉଚ୍ଛଳ

ଦେଲ…ସନ୍ତାନକୁ ବୁଦ୍ଧି ବଳ

 

ଅଷ୍ଟମ ପର୍ବ

 

ଜାହ୍ନବୀ ଅଭିଶାପ ଶୁଣିଲା ଦିନୁ

ସୁଖ ସମ୍ଭୋଗ ଆଶା ପୋଛିଛି ମନୁ

ଉଲୁପୀଙ୍କ ଭାବନା କି କଲେ ହେବ

ପିତା ସଙ୍ଗତେ ପୁତ୍ର ବାଦ ଉଦ୍ଭବ

ନରକ ଅଭିଶାପ ଖଣ୍ଡିବ ତେବେ

ଏଡ଼େ ଭାଗ୍ୟ ସତେ କି ଦଇବ ଦେବେ

କେଉଁ କୁମର ଯିବ ପିୟର ମାରି

କିଏ ବା ହେବ ଏଡ଼େ ପାତକ କାରୀ

ଆଜି ତ ଏତେ ଦିନେ ମିଳିଛି ଯୋଗ

ବାରଦ ସ୍ତୂପେ ହେଲା ଅଗ୍ନି ସଂଯୋଗ

ଏ ଘେନି ବଭ୍ରୁବାହନକୁ ଟିହାଇ

ପୁତ୍‌କାରେ ଦାବାନଳ ଦେଲେ ଜଳାଇ

ବିଚିତ୍ର ହେଲା-ଏଣେ ଯୁଦ୍ଧ ଘଟନ

ଇଲାବନ୍ତ ସଙ୍ଗତେ ବଭ୍ରୁବାହନ

 

ବଭ୍ରୁବାହନ ଅଙ୍ଗେ ଭେଦୁଛି ଶର

ଦର ଦର ଝରୁଛି ରୁଧିର ଧାର

 

ଅକ୍ଷତ ନିରାମୟ ଇଲାବନ୍ତର

ଭେଦୁନି କଳେବରେ ସହସ୍ର ଶର

 

ଇଲାବନ୍ତ ରହିଛି ଅଟଳ ମେରୁ

ଏ ବଡ ଆଚମ୍ବିତ ପ୍ରାରମ୍ଭ ବେଳୁ

 

ଉଲୁପୀ ତାତ ନାଗରାଜା ଅନନ୍ତ

ଅଖଣ୍ଡ ତପ ବଳେ ମଣି ପ୍ରାପତ

 

ସେ ମଣି ପାରେ ମୃତ ଶବ ଜୀଆଇ

ଧାରଣ କଲା ଜନ ବଜ୍ରାଙ୍ଗ ହୋଇ

 

କୁରୁକ୍ଷେତ୍ର ସଂଗ୍ରାମେ ଗମନ କାଳେ

ଅଜା ପିନ୍ଧାଇଥିଲେ ନାତିଙ୍କ ଗଳେ

 

ଉଲୁପୀ ଦେଖିଲେ ଏ ହେଲା ସଙ୍କଟ

ବ୍ୟାଜେ ବୋଲନ୍ତି ବାଣୀ କରି କପଟ

 

-ରେ ପୁତ୍ର ଦୈବାଧୀନ କରୁ ସମର

ଏଥି କେଉଁ ପୌରୁଷ ଅଛି ତୋହର

 

ବୀର ସନ୍ତାନ ଯେବେ ବୀର ଧରମେ

ସଂଗ୍ରାମ କର ଯାହା ଥାଉ କରମେ

 

‘ଦେଖ ମା' ଦେଖ’ ବୋଲି ଫିଙ୍ଗିଲା ମଣି

ମଣି ବିହୀନ ହୋଇ ପାରେ ମୁଁ ଜିଣି

 

ବଭ୍ରୂବାହନ ବୋଲେ ‘ଆରେ ସୋଦର’

ତୋ ସଙ୍ଗେ ନାହିଁ ମୋର ବୈର ବେଭାର

 

ତୋ ଅଙ୍ଗେ ପ୍ରହାରିବା ବାସନା ନାହିଁ

ଭୀରୁ ବୋଲି ପଛକେ ବୋଲନ୍ତୁ କେହି

 

ତୁହି ମୋ ଜନନୀର ନୟନ ମଣି

ତୁହି ମୋର ଅନ୍ତର ଆହ୍ଲାଦ ଖଣି

 

ହୁଅ ପଛକେ ମୋର ଏ ରାଜ୍ୟେ ରାଜା

ରହିବି ପଛେ ତୋର ହୋଇ ପରଜା

 

ଶୁଣି ଉଲୁପୀ ବୋଲେ ଭୀରୁ କୁମର

ପିତା ମାତା ସୋଦର ଏକି ବିଚାର

 

ରଣ ଭୂଇଁରେ ଦୟା ପଣ ଦେଖାଇ

କଳଙ୍କ କାଳି ସିନା ଦେଉ ଲେପାଇ

 

ବୀର ହୋଇ ଅବୀର ପରାୟେ କହୁ

ସଂଗ୍ରାମ ସ୍ଥଳେ କିମ୍ପା କରୁଣା ବହୁ

 

ପିତା ସଙ୍ଗତେ ରଣ ବାସନା ଯାର

ଭ୍ରାତା ବିଚାର କେଡେ ତୁଚ୍ଛ ସେଠାର

 

ଚାହୁଁ ଚାହୁଁ ଜଳିଲା କାଳ ଅନଳ

ଇଲାବନ୍ତ ଲୋଟିଲା ମେଦିନୀ ତଳ

 

କେଉଁ ଜନନୀ ହେବ ଏଡ଼େ ଦାରୁଣ

ଗର୍ଭେ ଧରିଲା ପୁତ୍ର ନାଶ କାରଣ

 

କମ୍ପିଲେ ସର୍ବଂସହା ଧରଣୀ ରାଣୀ

ଅଶ୍ରୁ ଗଦ୍‌ଗଦ ବାମା ନୟନ ବେନି

 

ନବମ ପର୍ବ (ଆଷାଢ଼ ଶୁକ୍ଳ)

 

II୧II

ସାତ୍ୟକି ଇଲାବନ୍ତ ବୃଷ ସେନ

ଗୋଯି ଗୋଟି କଲେ ଧରା ଚୁମ୍ବନ

ନାହାନ୍ତି ପାଶେ ଦ୍ୱାରକା ଠାକୁର

ଭାବନାନଳ ଦହିଲା ଅନ୍ତର

ପାର୍ଥ ଧନୁର୍ଦ୍ଧର

ବୋଇଲେ କି କଲି ଏ ଅବିଚାର

 

II୨II

ଏକାଳେ ଜାହ୍ନବୀ କ୍ରୋଧେ ଉତଳା

ପୁତ୍ର ଶୋକାନଳେ ଭ୍ରମ ବିହ୍ୱଳା

ବଭ୍ରୁ ବାହନକୁ ଅଙ୍କେ ବସାଇ

ବ୍ରହ୍ମାଣ୍ଡ ଦହନ ଶର ଦେଖାଇ

ଘେନ ବାବୁ ଶର

ଯେ ବୋଲେ ଜାରଜ ତାହାକୁ ମାର

 

II୩II

ଇଲାବନ୍ତ ମୃତ ପ୍ରତିମା ଚାହିଁ

ଧୂମକେତୁ ପରା ଆସିଲେ ଧାଇଁ

କାହିଁରେ କାହିଁ ଲୁଚିଲୁ ପାମର

ପୁତ୍ର ଶୋକାନଳେ କଲୁ ଜର୍ଜର

ବୋଲି ବୀରବର

ଯୋଖିଲେ ଗାଣ୍ଡିବେ ଅୟୁତ ଶର

II୪II

ତଡ଼ିତ ଗର୍ଜନ ପ୍ରାୟେ ଶୁଭିଲା

ଚରାଚର ଧରା ଚମକି ଗଲା

ପ୍ରଳୟ ଧୂମ ମେଦିନୀ ଘୋଟିଲା

ଖଣ୍ଡ ଖଣ୍ଡ ଉଲ୍‌କା ତ୍ରାସେ ଖସିଲା

ଆରେ ଅର୍ବାଚୀନ

ଇଷ୍ଟ ସୁମରି ହୁଅ ସମ୍ମୁଖୀନ

II୫II

ବିବର ଦ୍ୱାରେ ଶିରକୁ ଲଗାଇ

ପଦ୍ମ ତୋଳା ପଦେ ଯେହୁ ଚାଳଇ

ଶମନ ସଦନ ମାର୍ଗ ଯିବାକୁ

 

କି ଅବା ବିଳମ୍ବ ହୋଇବ ତାକୁ

ଦେଖିଲେ ଫାଲ୍‌ଗୁନି

ସାକ୍ଷାତେ ଉଭା କି ଉନ୍ମାଦ ଫଣି

 

II୬II

ବଡ଼ ତ ଦମ୍ଭେ ଆସିଥିଲେ ବୀର

ବଡ଼ ବାହୁ ସ୍ଫୋଟି ବଡ଼ ହୁଙ୍କାର

ଗଦ ଗନ୍ଧେ ବ୍ୟାଳ ହୋଇଲା ପରି

ନାହାନ୍ତି କେଶବ ଗଲ ମଉଳି

ଚାହିଁ ଦେଖ ଶର

ପାର ଯେବେ ହ୍ନର ନିରୋଧ କର

 

II୭II

କରମ ବାମ ହୋଇଥିଲା ବେଳେ

କଳପ ପାଦପେ ଗରଳ ଫଳେ

ଧରଣୀ ଧାରଣେ କ୍ଷମ ଯେ ଜନ

ଚାହୁଁ ଚାହୁଁ ଧରା କଲେ ଚୁମ୍ବନ

କୁସୁମ ବଳରେ

ମନ୍ଦର ଗିରି ଟଳିଲା ଭୁତଳେ

 

ଦଶମ ପର୍ବ

 

ଗତ ପ୍ରାଣ ନିଜ ପିୟର ଭ୍ରାତା ଇଲାବନ୍ତର

ଜୀବହୀନ ପିଣ୍ଡ ଅଗ୍ରତେ ଦେଖି ହେଲେ କାତର

 

କାଳାନଳ ହୃଦେ ଜଳିଲା ଗର୍ବ ପର୍ବତ ଭେଦି

ବିବେକ ଦଂଶଲା ଅନ୍ତର ଦମ୍ଭ ତରୁକୁ ଛେଦି

 

-ଧିକ ମୋ ଜନମ ଜଗତେ ପିତୃ ଘାତୀ ହୋଇଲି

ଯୁଗ ଯୁଗାନ୍ତ କଳଙ୍କର ବାନା ସିନା ଟେକିଲି

 

ମୋ ନାମେ ପୁଣ୍ୟଶୀଳ ଯେତେ ଶ୍ରୁତିପଥ ରୁନ୍ଧିବେ

ମୋ ପାପେ ବାସବ ବିଶ୍ୱକୁ କୋଟି ବଜ୍ର ବିନ୍ଧିବେ

 

ରବି ଶଶି ଗ୍ରହ ତାରକା ଲୁଚିବେ ଅନ୍ଧକାରେ

ବସୁନ୍ଧରା ବୁଡିଯିବ କି ରସାତଳ ଗହ୍ୱରେ

 

ମାତା ହୋଇ ତୁମ୍ଭେ କି କଲ ମୋତେ କି ବୁଦ୍ଧି ଦେଲ

ପୀୟୂଷ ବୋଲି ମୋ କବଳେ ଜହର ଛିଟାଇଲ

 

କେଉଁ ଦୋଷେ ଦୋଷୀ ଥିଲି ମୁଁ ହେଲି କର୍ମ ଚଣ୍ଡାଳ

ସପତଣୀ ସୁତ ବୋଲି କି ଦେଲ ଦାଉ ଜଞ୍ଜାଳ

 

ପତି ପରାୟଣା ସତୀଙ୍କ ରୀତି ଅତି ବିଚିତ୍ର

ସୌରଭେ ଗୌରବେ ଅତୁଳ ଗୁଣେ ବିଶ୍ୱ ପବିତ୍ର

 

ବେନି ମୃତ ଶବ ଅଗ୍ରତେ ପ୍ରେମାହ୍ଲାଦ ଆସ୍ପାଦ

ଜଣେ ସୁତ ଜଣେ ଦଇତ ଦୁହେଁ ନାରୀ ବାଞ୍ଛିତ

 

ମଣି ଗୁଣେ ଜୀଇଁ ପାରିବେ ହେଲେ ମାତ୍ରକ ଜଣେ

ପତି ପୁତ୍ର ବେନି ସଙ୍କଟ ବାମା ନେତ୍ର ଗଗନେ

 

ଅଶ୍ରୁ ଦର ଦର ନୟନେ ଇଲାବନ୍ତକୁ ଘେନି

ବୋଇଲେ ରେ ସୁତ ତୋ ଘେନି ଧନ୍ୟ ହେଲା ଅବନୀ

 

ମର୍ତ୍ତ୍ୟ ମଣ୍ତଳେ ଦେହ ବହି ମୃତ୍ୟୁ ନାହିଁ କାହାର

ବୀର ପଣେ ଯାର ମରଣ ସେହୁ ଚିର ଅମର

 

ତୋ ଘେନି ରଖିଥିଲି ମଣି ଦେବଦତ୍ତ ଏ ଧନ

ସ୍ୱରଗେ ଥାଇଁ ହୁଅ ପିତା ମୁକ୍ତି କାରଣ

 

ନର ନାରାୟଣ ତୋ ପିତା ହୁଅ ଯୋଗ୍ୟ କୁମର

ଧର୍ମ ରାଜ୍ୟ ହେଉ ସ୍ଥାପନ ଯଶଃ ଥାଉ ତୋହର

 

ତୋର ଧନେ ତୋର ଜନକ ଲଭନ୍ତୁ ପରିତ୍ରାଣ

ଯୁଗେ ଯୁଗେ ପୁତ୍ର ମଣ୍ଡଳେ ଥାଉ ଉଚ୍ଚ ସମ୍ମାନ

 

ଶତ ଛିନ୍ନ ପଛେ ହେଉରେ ମୋର ପାଷାଣ ପ୍ରାଣ

ପତି ଏକା ଗତି ସତୀର ଅଟେ ନିଗର ଧନ

 

ଛୁଆଇଁ ମଣି ଜୀଆଇଲେ ପାର୍ଥ ହେଲେ ଜାଗ୍ରତ

ଖଣ୍ଡିଲା ଗଙ୍ଗା ଅଭିଶାପ ଜନ୍ମ ହେଲା ସାରଥ

 

ନିର୍ମଳ ଏ ପିଣ୍ଡ ପରାଣ ଆତ୍ମା ହେଲା ଉଜ୍ଜ୍ୱଳ

ପୋଛିଲେ କ୍ଳେଦ ପାତକ ସତୀ ସତୀତ୍ୱ ବଳ

 

ଶୁଭିଲା ଦୁନ୍ଦୁଭି ସରଗୁଁ ସତୀ କ୍ଷିତି ପାବନୀ

ଉଲୁପୀ ସତୀ ସୀମନ୍ତିନୀ ଧନୀ ନାଗ ନନ୍ଦିନୀ

 

ସଧବାଏ ଦେଲେ ସିନ୍ଦୂର ଧାନ୍ୟ ଦୁର୍ବା ଅଞ୍ଜଳି

ପାଦ ଧୂଳି ନେଲେ ମସ୍ତକେ ବର୍ଷିଲା ହୁଳହୁଳି

 

ପୁଣ୍ୟବଳେ ସିନା ହୁଏ ଗୋ ମାନବଳ ସଂଜାତ

ମନବଳେ ନର ଦେବତା ବିଶ୍ୱେ ହୁଏ ପୂଜିତ

 

ଗୃହେ ଗୃହେ ରାଜୁ ଉଲୁପୀ ପ୍ରାୟେ ସୁର ସୁନ୍ଦରୀ

ଜାଗ ଗୋ ଭାରତ ଲଳନା ପତି ଭକ୍ତି ଆଚରି

 

ସିନ୍ଦୂର ଥାଉଗୋ ଉଜ୍ଜ୍ୱଳ ଲଭ ବୀରକୁମର

ନିର୍ମଳ ସତ୍ୟର ଆଭାରେ ଜ୍ୟୋତି ହେଉ ଅମର

 

ବିତରଣବାରି ବହୁଳା ବଇତରଣୀ ତଟ

ସ୍ୱଭାବେ ଏହି ସେ ଜାହ୍ନବୀ ଉତ୍କଳରେ ପ୍ରକଟ

 

ତା’ ବାରି ସିକ୍ତ ଏ ପଲ୍ଲବ ବିତାନରୁ ବିହଙ୍ଗ

ଗାଇଲେ ଏ ଗୀତ ଝଙ୍କୃତ ହୋଇ ପୁତ ତରଙ୍ଗ

 

ସରାଟ କରଟମୀନ ବା ହୁଏଁ ଜନ୍ମଜନ୍ମାନ୍ତେ

ତରଳ ସୁସ୍ୱାଦୁ ସଲିଳେ ଲୋଭ ଥାଉ ସନ୍ତତେ ।